ହରିୟାଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ହରିୟାଣାରେ ଭାଜପା ନେତୃତ୍ୱାଧୀନ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସେ ୪ ଦିନିଆ ଗସ୍ତରେ ଯାଇଛନ୍ତି। ସେ ହରିୟାଣା ଏବଂ ମୁମ୍ବାଇ ଗସ୍ତ କରିବେ। ଏହାସହ ଚଣ୍ଡିଗଡ଼ଠାରେ ହେବାକୁ ଥିବା ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣାଯାଇଛି , ଆଜି ଚଣ୍ଡିଗଡ଼ଠାରେ ହରିୟାଣାର ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ଏହି ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଅପରାହ୍ନରେ ଚଣ୍ଡିଗଡ଼ଠାରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯିବେ । ୧୮ ଓ ୧୯ ତାରିଖ ପୂର୍ବାହ୍ନରେ ଏଠାରେ ଆୟୋଜିତ ନିବେଶକ ସମ୍ମିଳନୀରେ ସାମିଲ ହେବେ। ଇଣ୍ଡିଆନ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗଦେବା ସହ ମେକ୍ ଇନ୍ ଓଡ଼ିଶା ପାଇଁ ନିବେଶକଙ୍କ ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ଗସ୍ତ କରିଛନ୍ତି।