ରାମଦୋଳିରୁ ଖସିପଡ଼ିଲେ ୪ ଜଣ
ରାଉରକେଲା: ଶାରଦୀୟ ପୂଜା ପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି। ଲୋକେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବା ସହ ମିନା ବଜାରର ମଜା ନେଉଛନ୍ତି । ଏହି ଅବସରରେ ରାମଦୋଳିରୁ ଖସିପଡ଼ିଛନ୍ତି ଗୋଟିଏ ପରିବାରର ୪ ସଦସ୍ୟ। ରାଉରକେଲା ସେକ୍ଟର-୬ ଟେଲିଫୋନ୍ ଭବନ ଦୁର୍ଗାପୂଜା ମେଳାରେ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ଦମ୍ପତି ଓ ୧୨ ବର୍ଷର ଝିଅ ଆହତ ହୋଇଛନ୍ତି। ତଳେ ପଡ଼ି ମଧ୍ୟ ୫ ବର୍ଷର ପୁଅ ସାମାନ୍ୟ ଆହତ ହୋଇଛି। ସେମାନେ ହେଲେ ସିଭିଲ୍ ଟାଉନ୍ସିପ୍ ନିବାସୀ ନୀଲେଶ ଅଗ୍ରୱାଲ ଏବଂ ପତ୍ନୀ ପୁନମ ଅଗ୍ରୱାଲ, ତାଙ୍କ ଝିଅ ଆଦ୍ୟା ଅଗ୍ରୱାଲ୍ ଓ ୫ ବର୍ଷର ପୁଅ। ସ୍ଥାନୀୟ ଲୋକେ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେକ୍ଟର-୬ ଟେଲିଫୋନ୍ ଭବନ ପଡ଼ିଆରେ ମିଆଁମାରର ବୁଦ୍ଧମନ୍ଦିର ଆକୃତିର ତୋରଣ ଦେଖିବାକୁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଜମିଥିଲା। ଅଗ୍ରୱାଲ୍ ଦମ୍ପତି ପୁଅଝିଅଙ୍କ ସହ ପୂଜାମଣ୍ଡପ ବୁଲି ଆସିିଥିଲେ। ସେମାନେ ସଂଧ୍ୟା ପ୍ରାୟ ୫ଟାରେ ଟେଲିଫୋନ୍ ଭବନ ମଣ୍ଡପରେ ପହଞ୍ଚିଥିଲେ। ମା’ଙ୍କ ଦର୍ଶନ ପରେ ଝିଅ ଓ ପୁଅ ରାମଦୋଳିରେ ଝୁଲିବାକୁ ବାପାଙ୍କ ପାଖରେ ଜିଦ୍ କରିଥିଲେ। ସମସ୍ତେ ଟିକେଟ୍ କାଟି ରାମଦୋଳିର ଗୋଟିଏ ବକ୍ସରେ ବସିଥିଲେ। ଦୋଳି ଚାଲିଥିବାବେଳେ ହଠାତ ବକ୍ସଟି ଭାରସାମ୍ୟ ହରାଇ ଦୋହଲି ଉଠିଥିଲା। ଫଳରେ ଝୁଲନ୍ତା ଅବସ୍ଥାରେ ଜଣକ ପରେ ଜଣେ ସମସ୍ତେ ତଳକୁ ଖସିପଡ଼ିଥିଲେ । ଫଳରେ ଦୋଳିର ଲୁହା ବାଡ଼ରେ ପିଟି ହୋଇଯାଇଥିଲେ। ଦୋଳି ବକ୍ସରେ ଲାଗିଥିବା ସୁରକ୍ଷାବାଡ଼ (ଲୁହାରଡ୍) ବାହାରିଯିବାରୁ ସମସ୍ତେ ତଳକୁ ଖସି ପଡ଼ିଥିଲେ ବୋଲି ଜାଣିବାକୁ ମିଳିଛି ।