ଶରୀରରୁ ଅଲଗା ହୋଇଯାଇଥିବା ହାତକୁ ଯୋଡିଦେଲେ ଡାକ୍ତର
କଟକ: ପୁଣି ଡାକ୍ତରୀ ଚିକିତ୍ସାରେ ଆଉ ଏକ ବଡ ସଫଳତା । ଶରୀରରୁ ଅଲଗା ହୋଇଯାଇଥିବା ହାତକୁ ଯୋଡିଛନ୍ତି ଡାକ୍ତରମାନେ । ଦୀର୍ଘ ୭ ଘଣ୍ଟାର ଅସ୍ତ୍ରୋପଚାର ପରେ ଏହି ସଫଳତା ପାଇଛନ୍ତି କଟକର ଏକ ଘରୋଇ ଡାକ୍ତରଖାନାର ଡାକ୍ତରମାନେ । ଡ଼ାକ୍ତରଙ୍କର ଏପରି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
କ୍ରାନ୍ତିକୁମାର ପଲେୟା ନାମକ ଜଣେ ବ୍ୟକ୍ତି ମେସିନରେ କାମ କରୁଥିଲେ । ଏହି ସମୟରେ ଭୁଲବଶତଃ ତାଙ୍କ ହାତଟି ସଂପୂର୍ଣ୍ଣ କଟିଯାଇଥିଲା । ଫଳରେ ସେ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ସେହି କଟା ହାତଟିକୁ ଧରି କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ବିଭୂତି ନାୟକଙ୍କ ସହ ଅନ୍ୟ ଡ଼ାକ୍ତରମାନେ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । ପ୍ଲାଷ୍ଟିକ ସର୍ଜନ ଏବଂ ଅର୍ଥୋପେଡିକ୍ ଡାକ୍ତରଙ୍କ ୪ ଜଣିଆ ଟିମର ୭ ଘଣ୍ଟାର ପରିଶ୍ରମ ପରେ କଟାହାତକୁ ସଫଳତାର ସହ ଯୋଡାଯାଇଛି । ପାଖାପାଖି ଅସ୍ତ୍ରୋପଚାରର ୨ ସପ୍ତାହ ପରେ ହାତ ପାପୁଲି ସକ୍ରିୟ ହୋଇଛି । ତେବେ ଡାକ୍ତରଙ୍କ କହିବା କଥା, ଅଘଟଣର ୨ ଘଣ୍ଟା ଭିତରେ କ୍ରାନ୍ତିକୁମାର ମେଡ଼ିକାଲ୍ ପହଞ୍ଚିଥିବାରୁ ଅପରେସନ୍ ସଫଳ ହୋଇପାରିଛି। ଆଗକୁ କ୍ରାନ୍ତିକୁମାରଙ୍କ ହାତ ସ୍ୱାଭାବିକ ଭାବେ କାମ କରିବ।