ଗାଁରେ ଖାଇଲେ , ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଛତିଆ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ଚଣା ଗସ୍ତରେ ଆସି ସମିଆ ପଞ୍ଚାୟତ ବୁଢ଼ାକେନ୍ଦୁଆ ଗାଁରେ ମଧ୍ୟାହ୍ନଭୋଜନ କରିବା ସହ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଲେ । ମୁଖ୍ୟମନ୍ତ୍ରୀ ବୁଢ଼ାକେନ୍ଦୁଆ ହାଟପଡ଼ିଆରେ ପ୍ରଧାନମନ୍ତ୍ରୀଙ୍କ ୧୧୫ ତମ ମନ୍ କି ବାତ୍, ଦଳୀୟ ସଭ୍ୟସଂଗ୍ରହ, ବୃକ୍ଷ ରୋପଣ, ଆଦିବାସୀ ଲୋକଙ୍କ ସହ ଆଲୋଚନା କରିବା ସହ ରାଜୁସିଂହ ଜାମୁଡ଼ାଙ୍କ ଘରେ ମଧ୍ୟାହ୍ନଭୋଜନ କରିଥିଲେ।
ଛତିଆଠାରୁ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ନେତୃତ୍ୱରେ ବାଇକ୍ ଶୋଭଯାତ୍ରାରେ ଦଳୀୟ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବୁଢ଼ାକେନ୍ଦୁଆ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ବୁଢ଼ାକେନ୍ଦୁଆଠାରେ ଆୟୋଜିତ କର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ବିଂଝାରପୁର ବିଜେପି ନେତ୍ରୀ ବବିତା ମଲ୍ଲିକ, ବରୀ ବିଜେପି ନେତା ଉମେଶ ଜେନା ପ୍ରମୁଖ ପ୍ରଧାମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଥିଲେ।
ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ବିଶ୍ୱବିଜୟୀ ବ୍ରହ୍ମ, ବେଣୁଧର ବିଶ୍ୱାଳ, ସୁଲୋଚନା ପ୍ରଧାନ, ଦେବଯାନୀ ପ୍ରଧାନ, ହରିଶଙ୍କର ପଣ୍ଡା, ରବୀନ୍ଦ୍ର ରାଉତ, ଲଲାଟେନ୍ଦୁ ମହାପାତ୍ର, ସୀତାନଥ ବଳସାମନ୍ତ, ପ୍ରଦୀପ୍ତ ସାମନ୍ତ, ପ୍ରୀତମ ନାୟକ, ରେବତୀ ଭୋଇ, ପ୍ରମୋଦ ଜେନା, ହେମେଶ ଜେନା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଉମେଶ ଜେନା ଧନ୍ୟବାଦ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବୃକ୍ଷ ରୋପଣ କରିଥିଲେ।