ଶ୍ରୀମନ୍ଦିରରେ ସବୁ ଭକ୍ତଙ୍କୁ ମିଳିବ ମହାପ୍ରସାଦ
ଭୁବନେଶ୍ୱର: ଶ୍ରୀମନ୍ଦିରରେ ସବୁ ଭକ୍ତଙ୍କୁ ମିଳିବ ମହାପ୍ରସାଦ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମିଳିବ ଏହି ମହାପ୍ରସାଦ। ଦର୍ଶନ ସରିବାପରେ ସାଙ୍ଗରେ ମହାପ୍ରସାଦ ନେଇ ଘରକୁ ଫେରିବେ ଭକ୍ତ। ଏ ବାବଦରେ ଆଲୋଚନା ଆରମ୍ଭ ହୋଇଛି। ଜୟଦେବ ଭବନରେ ଆୟୋଜିତ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ପୁରୀକୁ ବିଶ୍ୱର ସର୍ବଶ୍ରେଷ୍ଠ ସହରରେ ପରିଣତ କରିବାଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ପୁରୀ ରଥଯାତ୍ରା ସହାୟତା ଯୋଗାଇ ଦିଆଯାଇଥିଲା। ଆସନ୍ତାବର୍ଷ କିନ୍ତୁ ସମସ୍ତ ରଥଯାତ୍ରାକୁ ଆଖିଦୃଶିଆ ଭାବରେ ସହାୟତା ଯୋଗାଇ ଦିଆଯିବା ପାଇଁ ଯୋଜନା କରାଯାଉଛି। ତିରୁପତି ବାଲାଜୀ ମନ୍ଦିର ଲଡୁରେ ବ୍ୟବହୃତ ଘିଅକୁ ନେଇ ବିବାଦ ଉପୁଜିବା ପ୍ରସଙ୍ଗ ଉଲ୍ଲେଖକରି ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ପାଇଁ ଚିନ୍ତା କରାଯାଉଛି ବୋଲି ସେ କହିଥିଲେ। ରୋଷଶାଳାକୁ ରନ୍ଧନ ସାମଗ୍ରୀ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢ଼ା ବାହାରିବା ପରେ ତାହାର ମାନ ଯାଞ୍ଚ କରିବେ ଫୁଡ୍ ଇନ୍ସପେକ୍ଟର। ଏଥିପାଇଁ ନିଯୋଗମାନେ ସହଯୋଗ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ।
ଅନୁଷ୍ଠାନର ସଭାପତି ତଥା ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପରିଷଦର ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ, ବୈଜ୍ଞାନିକ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସୁଦର୍ଶନ ସାହୁ, ଶ୍ୟାମାମଣି ପଟ୍ଟନାୟକ, ନରେଶ ଚନ୍ଦ୍ର ଦାଶ, ସାରଙ୍ଗଧର ରାୟଗୁରୁ, ଶେଖ ମକବୁଲ ଇସଲାମ୍, ଧୀରେନ୍ଦ୍ର କୁମାର, ତନୁଶ୍ରୀ ଜେନା, ରାମକୃଷ୍ଣ ଦାସ ମହାପାତ୍ର, ଦୁର୍ଗା ଦାସ ଓ ଶରତ ଚନ୍ଦ୍ର ମହାନ୍ତିଙ୍କୁ ‘ଶ୍ରୀ ପୁରୁଷୋତ୍ତମ ସମ୍ମାନ’ରେ ସମ୍ୱର୍ଦ୍ଧିତ କରାଯାଇଥିଲା। ଏଥିସହିତ ପରିଷଦର ମୁଖପତ୍ର, ସଭ୍ୟସଭ୍ୟାଙ୍କ ବିବରଣୀ ପୁସ୍ତିକା ସମେତ ସାରଙ୍ଗଧର ରାୟଗୁରୁଙ୍କ ଦ୍ୱାରା ରଚିତ ‘ବାଙ୍କୀର ଇତିହାସ’ ଉନ୍ମୋଚିତ ହୋଇଥିଲା।