ଜେପି ନଡ୍ଡାଙ୍କ ସ୍ଥାନ ନେଇପାରନ୍ତି ବସୁନ୍ଧରା ରାଜେ
ନୂଆଦିଲ୍ଲୀ: ଜେପି ନଡ୍ଡାଙ୍କ ସ୍ଥାନ ନେବେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପସଭାପତି ବସୁନ୍ଧରା ରାଜେ । ତାଙ୍କୁ ମିଳିପାରେ ବଡ଼ ଦାୟିତ୍ୱ । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟନୁସାରେ ଦଳର ହାଇକମାଣ୍ଡ ବସୁନ୍ଧରାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିପାରନ୍ତି। ଖୁବ ଶୀଘ୍ର ଏନେଇ ଘୋଷଣା କରାଯାଇପାରେ ବୋଲି ଆଲୋଚନା ହେଉଛି। କିନ୍ତୁ ବସୁନ୍ଧରା ରାଜେଙ୍କୁ ସୋସିଆଲ ମିଡିଆରେ କର୍ମୀ ଆଗୁଆ ଅଭିନନ୍ଦନ ଜଣାଇଲେଣି ।
ବସୁନ୍ଧରା ରାଜେଙ୍କ ବ୍ୟତୀତ ସଞ୍ଜୟ ଯୋଶୀଙ୍କ ନାମ ମଧ୍ୟ ଅଧ୍ୟକ୍ଷ ପାଇଁ ଆଲୋଚନା ହେଉଛି । ଏସବୁ ବ୍ୟତୀତ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଶିବରାଜ ସିଂ ଚୌହାନଙ୍କ ନାମକୁ ମଧ୍ୟ ସୁପାରିଶ କରିଛନ୍ତି। ତେବେ ସଂଘ ମଧ୍ୟ ବସୁନ୍ଧରା ରାଜେ ନାମକୁ ଶ୍ରେଷ୍ଠ ବୋଲି ବିଚାର କରୁଛିି। ଚୂଡାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନ ଥିଲେ ମଧ୍ୟ ବସୁନ୍ଧରାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି।
ସୂଚନାନୁସାରେ, ବସୁନ୍ଧରା ରାଜେଙ୍କ ନାମ ଆରଏସଏସ ନିଜେ ପ୍ରସ୍ତାବ କରିଛି । ଏହା ବ୍ୟତୀତ ଆରଏସଏସ ଦ୍ୱାରା ଜାରି ଦ୍ୱିତୀୟ ନାମ ହେଉଛି ସଞ୍ଜୟ ଯୋଶୀ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା ଏବଂ ଦଳର ଅନ୍ୟ କେତେକ ବରିଷ୍ଠ ନେତା ଏହି ନାମରେ ସହମତ ନୁହଁନ୍ତି।