୭ ପୂଜା ମଣ୍ଡପରେ ହେବ ରାବଣ ପୋଡି
ଭୁବନେଶ୍ୱର: ଆଜି ବିଜୟାଦଶମୀ। ଅସତ୍ୟ ଉପରେ ହେବ ସତ୍ୟର ବିଜୟ। ବିଜୟାଦଶମୀରେ ବିଭିନ୍ନ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ଆରାଧନା। ଆଜି ଦଶହରାର ଅନ୍ତିମ ପର୍ବ । ଏହାପରେ ଆଜି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ହେବ ରାବଣ ପୋଡ଼ି । ଏଥିଲାଗି ୭ ପୂଜା ମଣ୍ଡପକୁ ମିଳିଛି ଅନୁମତି । ରାବଣ ପୋଡି ସମୟରେ ବିଭିନ୍ନ ଦିଗ ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ରାଜଧାନୀର ମୋଟ ୭ଟି ପୂଜା ମଣ୍ଡପରେ ହେବ ରାବଣ ପୋଡି । ସେଗୁଡ଼ିକ ହେଲା ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, କିଟ୍ରୋଡ, ଇନ୍ଫୋ ଭ୍ୟାଲି ଥାନା ଗୋପାଳପୁର । ତେବେ ରାବଣପୋଡି ସମୟରେ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମସ୍ତ ନିୟମକୁ ମାନିବାକୁ ପୂଜା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଖାସ୍ କରି ରାବଣ ପୋଡି ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ମଣ୍ଡପଠାରୁ ୧୦୦ ମିଟର ଦୂରରେ ରହିବେ, ରାବଣ ପୋଡି ସ୍ଥାନରେ ଗୋଟିଏ ଲେଖାଏଁ ଦମକଳ ଗାଡି ନିୟୋଜିତ ରହିବା ସହ ଅଗ୍ନିଶମ ବାହିନୀ ମଧ୍ୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପୂଜା ମଣ୍ଡପକୁ ଅଗ୍ନିନିର୍ବାପକ ଯନ୍ତ୍ର ରଖିବାକୁ କୁହାଯାଇଛି । ସ୍କୁଲ, କଲେଜ, ମନ୍ଦିର ଓ ବାସସ୍ଥାନ ଠାରୁ ୨୫୦ ମିଟର ଦୂରରେ ରାବଣ ପୋଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।