ନୂଆ ଜ୍ୱାଇଁର ସ୍ୱାଗତ ପାଇଁ ଶାଶୁ ପ୍ରସ୍ତୁତ କଲେ ୪୭୦ ପ୍ରକାରର ଖାଦ୍ୟ

ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ପର୍ବ ସବୁଠି ପାଳନ କରାଯାଏ । କିନ୍ତୁ ଦକ୍ଷିଣ ଭାରତରେ ଏହା କିଛି ନିଆରା ଢ଼ଙ୍ଗରେ ପାଳନ ହୁଏ, ପୋଙ୍ଗଲ ଭାବରେ। ଏହି ଉତ୍ସବକୁ ଉତ୍ସାହର ସହ ପାଳନ କରିବା ପାଇଁ ଲୋକେ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଆନ୍ତି। ପରମ୍ପରା ଅନୁଯାୟୀ ଏହି ଦିନ କରାଯାଏ ଜ୍ୱାଇଁ ଡାକରା। ଆଉ ଜ୍ୱାଇଁଙ୍କ ପାଇଁ ଭିନ୍ନ ଭିନ୍ନ ଖାଦ୍ୟ ଦେଇଥାନ୍ତି । ଏବେ ଜଣେ ଜ୍ୱାଇଁଙ୍କ ପାଇଁ ତାଙ୍କ ଶ୍ୱଶୁର ଘର ଲୋକ ଏଥର ପୋଙ୍ଗଲରେ ବାଢ଼ିଛନ୍ତି ୪୭୦ ପ୍ରକାରର ବ୍ୟଞ୍ଜନ। ଯାହାର ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲା ଆତିଥ୍ୟ ସେବାରେ ଶୀର୍ଷରେ ରହିଛି। ଏହି ଜିଲ୍ଲାରେ ଯଦି ଘରକୁ ଜ୍ୱାଇଁ ଆସନ୍ତି ତେବେ ତାଙ୍କର ସ୍ୱାଗତ ଖୁବ ଆଡମ୍ବର ସହକାରେ କରାଯାଇଥାଏ। ମକର ସଂକ୍ରାନ୍ତି ଅବସରରେ ପୁଡୁଚେରୀର ୟାନମରେ ଶ୍ୱଶୁର ଘରକୁ ଆସିଥିବା ନୂଆ ଜ୍ୱାଇଁଙ୍କ କରାଯାଇଥିବା ସ୍ୱାଗତ ଚର୍ଚ୍ଚାରେ ରହିଛି। ୟାନମ୍ ଟ୍ରେଡ୍ ଆସୋସିଏସନ ଅଧ୍ୟକ୍ଷ ମଜେତି ସତ୍ୟଭାସ୍କର ଓ ଭେଙ୍କଟେଶ୍ୱରୀଙ୍କ ଏକମାତ୍ର ଝିଅ ହରିଣ୍ୟଙ୍କ ବିବାହ ଗତବର୍ଷ ବିଜୟୱାଡ଼ାର ଶିଳ୍ପପତି ସାକେତଙ୍କ ସହ ହୋଇଥିଲା। ସଂକ୍ରାନ୍ତି ଅବସରରେ ସାକେତ ତାଙ୍କ ଶ୍ୱଶୁର ଘରକୁ ବୁଲିବା ପାଇଁ ଆସିଥିଲେ। ନୂଆ ଜ୍ୱାଇଁଙ୍କୁ ସ୍ୱାଗତ ପାଇଁ ଶାଶୁ ପ୍ରାୟ ୪୭୦ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ। ଖାଦ୍ୟରେ ମିଠା, ଫଳ, ଶୁଖିଲା ଫଳ, ଥଣ୍ଡା ପାନୀୟ ଇତ୍ୟାଦି ଅର୍ନ୍ତଭୁକ୍ତ ରହିଥିଲା। ଏଭଳି ସ୍ୱାଗତ ଦେଖି ଜ୍ୱାଇଁ ସାକେତ ବହୁତ ଖୁସି ହୋଇ କହିଥିଲେ, ଶ୍ୱଶୁର ଘରେ ମୋ ସ୍ୱାଗତ ପାଇଁ ଏଭଳି ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିବା ମୁଁ କଦାପି ଚିନ୍ତା କରି ନଥିଲି।
ପୋଙ୍ଗଲ ସମୟରେ ଗାଁରେ କୁକୁଡ଼ାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳେ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ସଂକ୍ରାନ୍ତି ପର୍ବର ସୌନ୍ଦର୍ଯ୍ୟ ବଢ଼ାଇଥାଏ।