ଶିମିଳିପାଳକୁ ଆସିବେ ଆଉ ୨ଟି ବାଘ
ବାରିପଦା: ଶିମିଳିପାଳକୁ ଆସିବେ ଆଉ ୨ ମହାବଳ ବାଘ। ଆସନ୍ତା ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରୁ ଶିମିଳିପାଳକୁ ଦୁଇଟି ମହାବଳ ବାଘ ଆସିବା ନେଇ ଜଣାଯାଇଛି । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଶିମିଳିପାଳର ସ୍ୱତନ୍ତ୍ର ଟିମ୍ ମହାରାଷ୍ଟ୍ର ଯାଇଥିବା ନେଇ ସୂଚନା ମିଳିଛି ।
ମହାରାଷ୍ଟ୍ରର ତାଡୋବା ଜଙ୍ଗଲରୁ ଏହି ଦୁଇ ମହାବଳ ବାଘ ଆସିବେ । ବାଘମାନଙ୍କୁ ଆଣିବାର ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକଙ୍କ ସହ ବନ୍ୟଜନ୍ତୁ ଡାକ୍ତରୀଦଳ ଏବଂ ତାଲିମପ୍ରାପ୍ତ ବନ କର୍ମଚାରୀ ଓ ଶିମିଳିପାଳର ରାପିଡ ରେସପନ୍ସ ଟିମକୁ ନେଇ ଗଠିତ ଏକ ଦଳ ମହାରାଷ୍ଟ୍ର ଯାଇଛନ୍ତି । ଏହି ଦଳ ତାଡ଼ୋବା ଯାଇ ବାଘ ଚିହ୍ନଟ କରିବା ସହ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା ଶେଷ କରିବେ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ପିସିସିଏଫ୍ ।
ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ୨୭ଟି ବାଘ ଅଛନ୍ତି । ଏହି ୨୭ ମହାବଳ ମଧ୍ୟରେ ୧୩ଟି ବିରଳ କଳାବାଘ ଓ ୧୪ଟି ସାଧାରଣ ମହାବଳ ବୋଲି ଜଣାଯାଇଛି। ସାଧାରଣ ମହାବଳଙ୍କ ମଧ୍ୟରେ ୭ଟି ମାଇ ବାଘ ସହ ୪ ଟି ଅଣ୍ଡିରା ମହାବଳ ରହୁଛନ୍ତି। ଏହା ବ୍ୟତୀତ କଳା ମହାବଳ ମଧ୍ୟରୁ ୭ ଟି ମାଇ ଓ ୬ଟି ଅଣ୍ଡିରା କଳାବାଘ ରହୁଛନ୍ତି ।