ଦେଶ- ବିଦେଶ

୬ ବର୍ଷରେ ୧୨ ସରକାରୀ ଚାକିରି

ନୂଆଦିଲ୍ଲୀ: କଥାରେ ଅଛି, କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳେ । ଏହାର ଜ୍ୱଳନ୍ତ ଉଦାହରଣ ହେଲେ ଆଇପିଏଏସ ଅଫିସର ପ୍ରେମ୍‌ସୁଖ ଡେଲୁ । ସଫଳତା ପଛରେ ଗୋଟିଏ ସଂଘର୍ଷମୟ କାହାଣୀ ଥାଏ । ଆଉ ସେହି କାହାଣୀ ପ୍ରେରଣା ପାଲଟିଯାଏ । ଆଉ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ପ୍ରେମ୍‌ସୁଖ । ସବୁଠୁ ବଡ଼ କଥା ହେଲା, ସେ ୬ ବର୍ଷରେ ୧୨ଟି ସରକାରୀ ଚାକିରି କରିଛନ୍ତି। ଆସନ୍ତୁ ଜାଣିବା ପ୍ରେମସୁଖ ଡେଲୁଙ୍କ ସଂଘର୍ଷ ଓ ସଫଳତାର ଯାତ୍ରା ସମ୍ପର୍କରେ…..

ରାଜସ୍ଥାନ ବିକାନେର ଜିଲ୍ଲାରେ ଛୋଟିଆ ଗାଁ ରାଇସର । ଏକ ଚାଷୀ ପରିବାରରେ ୧୯୮୮ ଏପ୍ରିଲ ୨୮ ତାରିଖରେ ପ୍ରେମସୁଖ ଡେଲୁଙ୍କ ଜନ୍ମ । ସରକାରୀ ସ୍କୁଲରେ ଦଶମ ଯାଏ ପାଠ ପଢିଥିଲେ । ମେଧାବୀ ଛାତ୍ର ଥିଲେ ପ୍ରେମସୁଖ । ଏମଏରେ ଗୋଲ୍ଡ ମେଡାଲିଷ୍ଟ ଥିଲେ । ପ୍ରେମସୁଖଙ୍କ ବାପା ଓଟଗାଡି ଚଲାନ୍ତି । ଆଉ ସେଥିରୁ ଯାହା ରୋଜଗାର ହୁଏ ସେଥିରେ ତାଙ୍କର ପରିବାର ଚଳେ । ବାପାଙ୍କୁ କାମରେ ମଧ୍ୟ ସାହାଯ୍ୟ କରନ୍ତି ପ୍ରେମସୁଖ । ଆର୍ôଥକ ସ୍ଥିତି ଭଲ ନ ଥିଲେ ବି ସ୍ୱପ୍ନ ଦେଖିବା ଛାଡି ନ ଥିଲେ ସେ ।

୨୦୧୦ରେ ଗ୍ରାଜୁଏସନ୍ ସରିବା ପରେ ଭିଲେଜ୍ ଆକାଉଣ୍ଟାଣ୍ଟ ପାଇଁ ଆବେଦନ କରିଥିଲେ । ଦରିଦ୍ରତାକୁ ହରାଇ ଦିନରାତି ଏକ କରି କଠିନ ପରିଶ୍ରମ ବଳରେ ଭିଲେଜ୍ ଆକାଉଣ୍ଟାଣ୍ଟ୍ ପରୀକ୍ଷା ପାସ୍ କରିଥିଲେ । ଏହା ପରେ ବି ପାଠପଢା ଜାରି ରଖିଥିଲେ । ଦୁନିଆର ସବୁଠୁ କଠିନ ପରୀକ୍ଷା କୁହାଯାଉଥିବା ୟୁପିଏସ୍‌ସି କ୍ରାକ୍ କରିଥିଲେ । ୨୦୧୫ରେ ଦ୍ୱିତୀୟ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇଥିଲେ । ୧୭୦ ରାଙ୍କ ରଖିଥିଲେ । ପ୍ରେମସୁଖଙ୍କ ଭାଇ ରାଜସ୍ଥାନ ପୋଲିସର କନଷ୍ଟେବଳ ଅଛନ୍ତି । ସେ ତାଙ୍କୁ ଏହି ପରୀକ୍ଷା ଦେବାକୁ କହିଥିଲେ । ବଡ ଭାଇଙ୍କୁ ପ୍ରେରଣା ମାନନ୍ତି ପ୍ରେମସୁଖ ।

ମାତ୍ର ୬ ବର୍ଷରେ ୧୨ଟି ସରକାରୀ ଚାକିରି ଛାଡି ଆଇପିଏସ ଆଫିସର ହୋଇଛନ୍ତି ପ୍ରେମସୁଖ । ପ୍ରେମସୁଖ କୁହନ୍ତି ଜୀବନକୁ ଯଦି କିଛି ବଦଳାଇପାରେ ତାହା ହେଉଛି ପାଠ । ଏତେ ସମସ୍ୟା ଭିତରେ ବି ହାରି ନ ଥିଲେ ପ୍ରେମସୁଖ । ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ନିଜ ଭାଗ୍ୟ ବଦଳାଇ ଦେଇଥିଲେ । ସତରେ ପ୍ରେମସୁଖଙ୍କ ଏ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ୟୁପିଏସ୍‌ସି ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ମନୋବଳ ବଢାଇବ ଆଇପିଏସ୍ ପ୍ରେମସୁଖଙ୍କର ଏହି ସଂଘର୍ଷ ଓ ସଫଳତାର କାହାଣୀ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button