ଟଙ୍କାର ହୋଇଛି ନିଲାମ: ୫୬ ଲକ୍ଷରେ ନିଲାମ ହେଲା ଶହେ ଟଙ୍କିଆ ନୋଟ୍
ନୂଆଦିଲ୍ଲୀ: ଘର କି ଗାଡ଼ି ବା ପେଣ୍ଟିଂ କି କୌଣସି ଜିନିଷପତ୍ର ନିଲାମ ହେଉଥିବା ଜାଣିଥିବେ । ହେଲେ ଏବେ ଏମିତି ଏକ ଜିନିଷ ନିଲାମ ହୋଇଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ମାତ୍ର ଶହେ ଟଙ୍କାର ହୋଇଛି ନିଲାମ । ତାହା ପୁଣି ୫ ଲକ୍ଷ କି ୧୦ ଲକ୍ଷ ନୁହେଁ, ହୋଇଛି ୫୬ ଲକ୍ଷରେ । ଏଭଳି ଏକ ବିଚିତ୍ର ନିଲାମୀ ହୋଇଛି ଲଣ୍ଡନରେ ।
ଲଣ୍ଡନରେ ୧୦୦ ଟଙ୍କିଆ ନୋଟ୍ ନିଲାମ ହୋଇଛି ୫୬,୪୯,୬୫୦ ଟଙ୍କାରେ । ଏହି ନୋଟକୁ ୧୯୫୦ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିଲା । ଯାହାର ସିରିଜ ନମ୍ବର ରହିଛି, ଏଚଏ୦୭୮୪୦୦ । ଏହା କୌଣସି ସାଧାରଣ ନୋଟ୍ ନୁହେଁ । ଏହି ନୋଟ୍ ହଜ୍ ନୋଟ୍ ଭାବେ ଜଣାଯାଏ । ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଆରବିଆଇ ଏହି ନୋଟ୍ ଛାପିଥିଲା । ଖାସ୍ କରି ହଜ୍ ଯାତ୍ରୀଙ୍କ ପାଇଁ । କୁହାଯାଏ ସୁନାର ଅବୈଦ୍ଧ କ୍ରୟ ରୋକିବା ପାଇଁ ମଧ୍ୟ ଏହି ନୋଟ୍ ଛପା ଯାଇଥିଲା ।
ନୋଟର ନମ୍ବର ଆରମ୍ଭରୁ ୟୁନିକ୍ ପ୍ରିଫିକ୍ସ ଏଚଏ ରହିଛି । ଯାହାଦ୍ୱାରା ଏହି ନୋଟକୁ ସହଜରେ ଚିହ୍ନାଯାଇ ପାରିବ । ୧୯୬୧ରେ କୁଏତ୍ ନିଜ ମୁଦ୍ରା ପଚଳନ କରିବା ଆରମ୍ଭ କରିଥିଲା । ଏହାପୂର୍ବରୁ କୁଏତରେ ଭାରତୀୟ ମୁଦ୍ରା ବ୍ୟବହାର କରାଯାଉଥିଲା । ୧୯୭୦ରେ ହଜ ନୋଟ୍ ଛପିବା ବନ୍ଦ କରାଯାଇଥିଲା । ବତ୍ତର୍ମାନ ପାଇଁ ଏହି ନୋଟ୍ ଦୁର୍ଲଭ ପାଲଟିଛି । ଲୋକମାନେ ଏହାକୁ ସଂଗ୍ରହ କରି ରଖୁଛନ୍ତି ।
ନିକଟରେ ଲଣ୍ଡନର ଆଉ ଏକ ନିଲାମୀ କାର୍ଯ୍ୟକ୍ରମରେ ୧୦ ଟଙ୍କିଆ ନୋଟ୍ ୧୨ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ ହୋଇଛି । କାର୍ଯ୍ୟକ୍ରମରେ ୨ଟି ନୋଟ୍ ନିଲାମ ହୋଇଛି । ଗୋଟିଏ ୧୦ ଟଙ୍କିଆ ନୋଟ୍ ୬.୯୦ ଲକ୍ଷ ଏବଂ ଆଉ ଗୋଟେ ୫.୮୦ ଲକ୍ଷରେ ନିଲାମ କରାଯାଇଛି ।