ଦେଶ- ବିଦେଶ

ମଝି ଅକାଶରେ ପାଇଲଟ ବିନା ୧୦ ମିନିଟ୍ ଉଡ଼ିଲା ବିମାନ

ବର୍ଲିନ: ସମ୍ପ୍ରତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏତେ ଆଗକୁ ବଢ଼ିଛି ଯେ, ଚାଳକହୀନ କାର ଏବଂ ପାଇଲଟହୀନ ମେଟ୍ରୋ ଅସ୍ତିତ୍ୱ ହାସଲ କରିଛି। କିନ୍ତୁ ଏବେ ବି କ’ଣ କେହି କେବେ ଭାବିଛନ୍ତି ଯେ, ପାଇଲଟ ବିନା ମଧ୍ୟ ବିମାନ ଉଡ଼ିପାରିବ? ପାଇଲଟ ବିନା ବିମାନ ଉଡ଼ାଣ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରଯୁକ୍ତିବିଦ୍ୟା ନାହିଁ, କିନ୍ତୁ ଏକ ଯାତ୍ରୀବାହୀ ବିମାନ ପ୍ରାୟ ୧୦ ମିନିଟ୍ ପାଇଁ ପାଇଲଟ ବିନା ଉଡ଼ିଥିଲା। ଜର୍ମାନ ସମ୍ବାଦ ସଂସ୍ଥା ଡିପିଏ ଶନିବାର ରିପୋର୍ଟ କରିଛି ଯେ, ଗତ ବର୍ଷ ସ୍ପେନ ଯାଉଥିବା ଲୁଫଥାନ୍ସାର ଏକ ବିମାନର କୋ-ପାଇଲଟ କକପିଟରେ ଏକା ଥିବା ସମୟରେ ଚେତାଶୂନ୍ୟ ହୋଇଯିବା ପରେ ୧୦ ମିନିଟ୍ ପାଇଁ ପାଇଲଟ ବିନା ବିମାନଟି ଉଡ଼ିଥିଲା।

ସ୍ପାନିସ୍ ଦୁର୍ଘଟଣା ତଦନ୍ତ କର୍ତ୍ତୃପକ୍ଷ ସିଆଇଆଇଏଏସିର ଏକ ରିପୋର୍ଟରୁ ଉଦ୍ଧୃତ କରି ଗଣମାଧ୍ୟମ ସଂସ୍ଥା ଡିପିଏ ରିପୋର୍ଟ କରିଛି ଯେ, ଗତ ବର୍ଷ ଫେବ୍ରୁଆରି ୧୭ ତାରିଖରେ ଫ୍ରାଙ୍କଫର୍ଟରୁ ସ୍ପେନର ସେଭିଲା ଯାଉଥିବା ଏକ ଉଡ଼ାଣ ସମୟରେ ଏୟାରବସ୍ ଏ-୩୨୧ର କ୍ୟାପଟେନ ଶୌଚାଳୟ ଯାଇଥିବାବେଳେ କୋ-ପାଇଲଟ କକପିଟରେ ଅଚେତ ହୋଇଯାଇଥିଲେ। ରିପୋର୍ଟ ଅନୁଯାୟୀ, ବିମାନରେ ୧୯୯ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ, ବିମାନଟି ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ପାଇଲଟ ବିନା ମଝି ଆକାଶରେ ଉଡ଼ି ଚାଲିଥିଲା। କ୍ୟାପଟେନ ଶୌଚାଳୟ ଯାଇଥିବାବେଳେ କକପିଟରେ ଏକା ଥିବା କୋ-ପାଇଲଟ ଚେତା ହରାଇ ବସିଥିଲେ। ଯେତେବେଳେ କ୍ୟାପଟେନ ଶୌଚାଳୟରୁ ବାହାରକୁ ଆସିଲେ, ସେ କ୍ୟାବିନ ଦ୍ୱାର ଖୋଲିବାକୁ ଠକ୍ ଠକ୍ କଲେ। କିନ୍ତୁ ଦ୍ୱାର ଖୋଲିଲା ନାହିଁ।

ଏହା ପରେ କ୍ୟାପଟେନ ଜରୁରୀକାଳୀନ ବଟନ୍ ଦବାଇ ସାହାଯ୍ୟ ମାଗିଲେ, କିନ୍ତୁ ଏହି ସମୟ ମଧ୍ୟରେ କୋ-ପାଇଲଟ ଚେତା ଫେରି ପାଇଥିଲେ ଏବଂ କକପିଟ ଦ୍ୱାର ଖୋଲିଦେଇଥିଲେ। ଏହା ପୂରା ୧୦ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଥିଲା। ଏହା ପରେ ବିମାନଟିକୁ ମାଦ୍ରିଦରେ ଅବତରଣ କରାଯାଇଥିଲା। କୋ-ପାଇଲଟ୍ ଚେତାଶୂନ୍ୟ ହେବା ପରେ ଏକ ସକ୍ରିୟ ଅଟୋପାଇଲଟ୍ ଯୋଗୁ ବିମାନଟି ସ୍ଥିର ଭାବରେ ଉଡ଼ିପାରିଥିଲା। ଏହି ସମୟ ମଧ୍ୟରେ, ଭଏସ୍ ରେକର୍ଡର୍ କକପିଟରେ ଅଜବ ଶବ୍ଦ ରେକର୍ଡ କରିଥିଲା ​​ଯାହା ଏକ ଗମ୍ଭୀର ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭଳି ଥିଲା ବୋଲି ଡିପିଏ ରିପୋର୍ଟ କରିଛି।

ଲୁଫଥାନ୍ସା ଡିପିଏକୁ କହିଛି ଯେ, ଆମେ ତଦନ୍ତ ରିପୋର୍ଟ ବିଷୟରେ ଅବଗତ ଅଛୁ ଏବଂ ଆମର ନିଜସ୍ୱ ବିମାନ ସୁରକ୍ଷା ବିଭାଗ ମଧ୍ୟ ଏକ ତଦନ୍ତ କରିଛି। ଡିପିଏ କହିଛି ଯେ, କମ୍ପାନି ନିଜର ତଦନ୍ତର ଫଳାଫଳ ପ୍ରକାଶ କରିନାହିଁ। କିନ୍ତୁ ଏହି ଘଟଣାଟି ସ୍ପଷ୍ଟ କରିଛି ଯେ, ପ୍ରତ୍ୟେକ ଉଡ଼ାଣ ପୂର୍ବରୁ ପାଇଲଟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା କେତେ ଗୁରୁତ୍ୱପୂର୍ଣ୍ଣ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button