ଦେଶ- ବିଦେଶ

ଭାରତର ଜବାବ: ପାକିସ୍ତାନର ୮ ସାମରିକ ସ୍ଥଳ ଧ୍ବଂସ

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା ଭାରତର ୪ଟି ଏୟାରବେସ୍‌କୁ ଗତରାତିରେ ଟାର୍ଗେଟ୍‌ କରିବା ପରେ ଭାରତୀୟ ବାୟୁସେନା ଏହାର ଭୟାନକ ଦେଇ ପାକିସ୍ତାନର ୮ଟି ସାମରିକ ସ୍ଥଳକୁ ଧ୍ବଂସ କରିଛି। ଗତରାତିରେ ଉଧମପୁର, ପଠାନକୋଟ, ଆଦମପୁର ଓ ଭୁଜ ସମେତ ଭାରତୀୟ ବାୟୁସେନା ପ୍ରତିଷ୍ଠାନ ଏବଂ ଶ୍ରୀନଗର ଓ ଅବନ୍ତିପୁରାସ୍ଥିତ ବାୟୁସେନା ଘାଟି ଉପରେ ପାକିସ୍ତାନର ସମନ୍ୱିତ ଆକ୍ରମଣ କରିଥିଲା। ଏହାର ଜବାବରେ ଭାରତ ଶନିବାର ସକାଳେ ପାକିସ୍ତାନର ୮ଟି ସାମରିକ ସ୍ଥାନ ଉପରେ ଆକ୍ରମଣ କରି ଭୀଷଣ କ୍ଷୟକ୍ଷତି ଘଟାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁସାରେ, ପଶ୍ଚିମ ସୀମା ଓ ନିୟନ୍ତ୍ରଣ ରେଖାରେ ଉଭୟ ସାମରିକ ଓ ବେସାମରିକ ସମ୍ପତ୍ତିକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନୀ ସେନା ଡ୍ରୋନ୍, ଯୁଦ୍ଧାସ୍ତ୍ର, ହାଇସ୍ପିଡ୍ କ୍ଷେପଣାସ୍ତ୍ର ଓ ଲଢ଼ୁଆ ବିମାନ ଦ୍ବାରା ଆକ୍ରମଣ କରିବା ପରେ ଏହି ପ୍ରତିଶୋଧମୂଳକ ପ୍ରତି-ଆକ୍ରମଣ ହୋଇଥିଲା।

କର୍ଣ୍ଣେଲ ସୋଫିଆ କୁରେଶୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ଉଧମପୁର, ପଠାନକୋଟ, ଆଦମପୁର ଓ ଭୁଜରେ ଥିବା ବାୟୁସେନା ଷ୍ଟେସନଗୁଡ଼ିକରେ ଉପକରଣ ଓ କର୍ମଚାରୀଙ୍କର ସୀମିତ କ୍ଷୟକ୍ଷତି ହୋଇଛି। ତେବେ ଭାରତର ସମସ୍ତ ସାମରିକସ୍ଥଳ ସୁରକ୍ଷିତ ରହିଛି ବୋଲି କୁରେଶୀ ସ୍ପଷ୍ଟ କରିଛନ୍ତି। ଏ ଦିଗରେ ପାକିସ୍ତାନର ମିଛ ପ୍ରଚାରରେ ବିଶ୍ବାସ ନକରିବାକୁ ସେ କହିଛନ୍ତି। ଭାରତର ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ବଂସ କରିଥିବା ନେଇ ପାକିସ୍ତାନର ଦାବି ସଂପୂର୍ଣ୍ଣ ମିଥ୍ୟା ଓ ହାସ୍ୟାସ୍ପଦ ପ୍ରମାଣିତ ହୋଇଛି। ଗତରାତିରେ ପାକିସ୍ତାନ ସେନା ଶ୍ରୀନଗର, ଅବନ୍ତିପୁର ଓ ଉଧମପୁରରେ ଥିବା ମେଡିକାଲ ସେଣ୍ଟର ଓ ସ୍କୁଲ ପରିସରକୁ ମଧ୍ୟ ଟାର୍ଗେଟ୍ କରିଥିଲା। ରାତି ୧ଟା ୪୦ରେ ପଞ୍ଜାବ ଆଡ଼କୁ ହାଇସ୍ପିଡ୍ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ଉଦ୍ୟମ କରାଯାଇଥିଲା ଏବଂ ତାହାକୁ ଭାରତ ଖସାଇ ଦେଇଛି। କର୍ଣ୍ଣେଲ କୁରେଶୀ କହିଛନ୍ତି, ଭାରତୀୟ ସଶସ୍ତ୍ର ବାହିନୀ କେବଳ ଚିହ୍ନିତ ସାମରିକ ଟାର୍ଗେଟ୍ ଉପରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ଆକ୍ରମଣ କରିଛି। ଏଥିରେ ବୈଷୟିକ ଭିତ୍ତିଭୂମି, କମାଣ୍ଡ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର, ରାଡାର ସାଇଟ୍ ଓ ଅସ୍ତ୍ରଶସ୍ତ୍ର ସଂରକ୍ଷଣ ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା।

ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ପାକିସ୍ତାନର ୮ଟି ସାମରିକ ସ୍ଥାନ ଉପରେ ଆକ୍ରମଣ କରାଯାଇଥିଲା। ସେଗୁଡ଼ିକ ହେଉଛି: ରଫିକି, ମୁରିଦ, ଚକଲା, ରହିମ ୟାର୍ ଖାନ୍, ସୁକୁର, ଚୁନିୟାନ, ପାସରୁରସ୍ଥିତ ରାଡାର୍ ସାଇଟ୍ ଓ ସିଆଲକୋଟ ଏଭିଏସନ୍ ବେସ୍। ଭାରତୀୟ ଲଢୁଆ ବିମାନରୁ ଆକାଶମାର୍ଗରୁ ପ୍ରକ୍ଷେପିତ ଅସ୍ତ୍ରଶସ୍ତ୍ର ଦ୍ବାରା ଏହି ଆକ୍ରମଣ ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତ ସର୍ବନିମ୍ନ ପାରିପାର୍ଶ୍ବିକ କ୍ଷୟକ୍ଷତିକୁ ସୁନିଶ୍ଚିତ କରିଛି। ସେପଟେ ପାକିସ୍ତାନ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେ କୁପଵାଡ଼ା, ବାରାମୁଲା, ପୁଞ୍ଚ, ରାଜୌରୀ ଓ ଅଖନୁର ଭଳି ସେକ୍ଟରକୁ ଟାର୍ଗେଟ୍ କରି ଗୁଳିଚାଳନାକୁ ଜୋରଦାର କରିଥିଲା। ଏହି ଗୁଳିମାଡ଼ରେ ରାଜୌରୀର ଅତିରିକ୍ତ ଜିଲ୍ଲା ଉନ୍ନୟନ କମିସନରଙ୍କ ମୃତ୍ୟୁ ଘଟିଥିବା ବେଳେ ଫିରୋଜପୁର ଓ ଜଳନ୍ଧରରେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିସ୍ରି ସାମରିକ ଅଭିଯାନ ସମୟରେ ବେସାମରିକ ବିମାନକୁ ଢାଲ ଭାବେ ବ୍ୟବହାର ସମେତ ପାକିସ୍ତାନର ରଣନୀତିକୁ ନିନ୍ଦା କରିଛନ୍ତି। ପ୍ରତିରକ୍ଷା ସତର୍କତା ସମୟରେ ଭାରତ ଆକାଶମାର୍ଗ ବନ୍ଦ ଘୋଷଣା କରିଥିବା ବେଳେ ଲାହୋରରୁ ବାଣିଜ୍ୟିକ ବିମାନ ଉଡ଼ାଣ ଜାରି ରହିଥିଲା, ଯାହା ବ୍ୟାପକ ଆନ୍ତର୍ଜାତିକ ପରିଣାମ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ମିସ୍ରି କହିଛନ୍ତି। ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଭାରତୀୟ ବାୟୁସେନା ଯଥେଷ୍ଟ ସଂଯମ ପ୍ରଦର୍ଶନ କରିଛି। ଭାରତୀୟ ସାମରିକ ପ୍ରତିଷ୍ଠାନ ନଷ୍ଟ ହେବା ନେଇ ପାକିସ୍ତାନର ମିଛକୁ ମଧ୍ୟ ଖଣ୍ଡନ କରିଛି ଭାରତ। ମିସ୍ରି ଆଦମପୁର, ସୁରତଗଡ଼, ସିର୍ସା, ନାଗରୋଟା ଓ ଚଣ୍ଡିଗଡ଼ରେ ଥିବା ଏୟାର୍‌ବେସ୍‌ରୁ ଟାଇମ୍‌ଷ୍ଟେମ୍ ଫଟୋ ଉପସ୍ଥାପନ କରି ରନ୍‌ୱେ ଓ ଡିପୋ ଅକ୍ଷୁଣ୍ଣ ଥିବା ନିଶ୍ଚିତ କରିଥିଲେ। ଭାରତର ଏହି ଆକ୍ରମଣ ପାକିସ୍ତାନର ବାୟୁ ଓ ଡ୍ରୋନ୍ କ୍ଷମତାକୁ ନଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଥିଲା। ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ସଂଘର୍ଷ ବଢ଼ାଇବା ପାଇଁ ନୁହେଁ, ବରଂ ଏକ ସ୍ପଷ୍ଟ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ବୋଲି ବୈଦେଶିକ ମନ୍ତ୍ରଣାଳୟ ଦୋହରାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button